ଆଜି ଆମେ ଏକବିଂଶ ଶତାବ୍ଦୀରେ ପାଦ ଦେଇ ସାରିଲୁଣି। ପ୍ରାୟ ୨୦୦ବର୍ଷ ପରାଧୀନ ରହିବାପରେ ୧୯୪୭ ଅଗଷ୍ଟ ୧୫ ରେ ସ୍ଵାଧୀନତାର ସ୍ଵାଦ ଚାଖିଲୁ। ଜନଗଣଙ୍କୁ ସୁଶାସନ ଦେବାପାଇଁ ସମ୍ବିଧାନ ପ୍ରଣୟନ କରାଗଲା ଓ ତାହାକୁ ୧୯୫୦ ମସିହା ଜାନୁଆରୀ ୨୬ରେ କାର୍ଯକାରୀ କରାଗଲା। ଆଜି ଆମେ ସ୍ବାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛେ; ମାତ୍ର ଆଦିବାସୀଙ୍କ ସାମାଜିକ ଅର୍ଥନୈତିକ ଅବସ୍ଥାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଲାନାହିଁ। 
       
ସ୍ଵାଧୀନତା ପରେ ଦେଶକୁ ବିକାଶ ପଥରେ ଆଗକୁ ନେବା ପାଇଁ ବିଭିନ୍ନ ଯୋଜନା ଆଳରେ ଆଦିବାସୀଙ୍କୁ ବଳିଦାନ ଦେବାକୁ ପଡ଼ିଛି। ନବେ ଦଶକ ର ପ୍ରଥମ ପାହାଚରୁ ଆର୍ଥିକ ସଂସ୍କାର ନାମରେ ଯେଉଁ ଜଗତୀକରଣ , ଘରୋଇକରଣ, ଉଦାରୀକରଣ ନୀତି ଦେଶ ଆପଣେଇଛି ; ଆଦିବାସୀ ଜଙ୍ଗଲ ଜୀବିଙ୍କୁ ଏକ ପ୍ରକାର ଉଦବାସ୍ତୁ କରିଦେଉଛି। ବିକାଶ ନାମରେ ବଡ ବଡ ଡ୍ୟାମ, ଖଣି ଖନନ, ବୃହତ ଶିଳ୍ପ ପ୍ରତିଷ୍ଠା ଫଳରେ ଆଦିବାସୀ ବିସ୍ଥାପନ ର ଶିକାର ହେଉଛି, ଫଳରେ ଜୀବନଜୀବିକା ପ୍ରଭାବିତ ହେଉଛି। ଅବସ୍ଥା ଏପରି ହୋଇଛି ଯେ, ଆହାର ଗଣ୍ଡାକ ପାଇଁ ଆଦିବାସୀ ଦାଦନ ଶ୍ରମିକ ପାଲଟି ଯାଇଛି। ସେ ସହର ମୁହାଁ ହୋଇଛି। ସହରର ବସ୍ତିରେ ବି ତାର ଅବସ୍ଥା ଶୋଚନୀୟ। କେବଳ ଭାରତରେ ନୁହେଁ ସାରା ବିଶ୍ଵରେ ଆଦିବାସୀ ମାନଙ୍କ ଅବସ୍ଥା ସଙ୍କଟମୟ ସ୍ଥିତିରେ ଅଛି। ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ସଂଗଠନ ଇୟୁ.ଏନ୍.ଓ (UNO) ୧୯୯୪ ମସିହା ଅଗଷ୍ଟ ମାସ ୯ତାରିଖକୁ ବିଶ୍ଵ ଆଦିବାସୀ ଦିବସ ଭାବରେ ପାଳନ କରି ଆସୁଛି।
   ୧୯୮୦ ମସିହାରେ ଯେଉଁ ଜଙ୍ଗଲ ସଂରକ୍ଷଣ ଆଇନ ତିଆରି ହୋଇଥିଲା ସେହି ଆଇନ ଅନୁଯାୟୀ କୌଣସି ଜଙ୍ଗଲ କିସମ ପରିବର୍ତ୍ତନ କରାଯାଇ ପାରିବ ନାହିଁ। କିନ୍ତୁ ସରକାର ଜଙ୍ଗଲ ଅଧିନିୟମ ୨୦୨୨ ଆଣିଛନ୍ତି। ତା ମାଧ୍ୟମରେ ବଡ ବଡ ପୁଞ୍ଜିପତି ଶିଳ୍ପପତି ମାନଙ୍କୁ ମୁନାଫା ପାଇଁ ଜଙ୍ଗଲ ଜମିକୁ ତାଙ୍କ ହାତରେ ଟେକି ଦେବାପାଇଁ ଚକ୍ରାନ୍ତ କରୁଛନ୍ତି। ଫଳରେ ଜଙ୍ଗଲ ଜମି ଉପରେ ଥିବା ଅଧିକାର ରହିବ ନାହିଁ ବୋଲି ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚର ରାଜ୍ଯ ସଂପାଦକ ସାଲ ମାର୍ଣ୍ଡି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସହର ହେଉକି ଗାଁ ହେଉ ଆଦିବାସୀ ମାନଙ୍କର ଜୀବନ ଜୀବିକା ଓ ପରମ୍ପରା ଧ୍ବଂସ ହେବାରେ ଲାଗିଛି। ତେଣୁ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଅଧିକାର ଦେବା ପାଇଁ ସହରାଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ଲାଗୁ କରିବା ଏବଂ ରାସ୍ତା ନାମରେ ଜଙ୍ଗଲ ଜମିରୁ ବସ୍ତି ଉଛେଦ ସମ୍ପୂର୍ଣ୍ଣ ବନ୍ଦ କରା ଯାଉ ବୋଲି ଦାବୀ କରିଛନ୍ତି।
   ଆଦିବାସୀ ଅଧିକାର ମଞ୍ଚର ଉପସଭାପତି ଚାମ୍ବରୁ ସୋରେନ ସ୍ବାଧୀନତାର ୭୫ ବର୍ଷ ପରେ ଓଡ଼ିଶାରେ ଆଦିବାସୀଙ୍କ ଚିନ୍ତାଜନକ ସ୍ଥିତି ନେଇ କୁହନ୍ତି ଯେ, ଆଦିବାସୀଙ୍କର ଅଧିକାର ଦିନକୁଦିନ କ୍ଷୁର୍ଣ୍ଣ ହେବାରେ ଲାଗିଛି। ସରକାର ଯେଉଁ ନୀତି ପ୍ରଣୟନ କରୁଛନ୍ତି, ଜଙ୍ଗଲ ଜମି ଅଧିକାର ହେଉ, ଗ୍ରାମସଭାର ଅଧିକାର ହେଉ, ପେସା ଆଇନ ଲାଗୁ କରିବା ହେଉ, ତାହାକୁ ଉଦ୍ଦେଶ୍ୟ ମୂଳକ ଭାବରେ ବାଟବଣା କରି ଦିଆ ଯାଉଛି। ମାଲକାଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଆଦିବାସୀମାନେ ଅବହେଳିତ ଅବସ୍ଥାରେ ଅଛନ୍ତି। ଏପର୍ଯ୍ୟନ୍ତ ଆଦିବାସୀ ମାନଙ୍କର କେତେଦୂର ବିକାଶ ହୋଇଛି ବିଶ୍ଵ ଆଦିବାସୀ ଦିବସରେ ପ୍ରଶ୍ନବାଚୀ ସୃଷ୍ଟି କରୁଛିବୋଲି କହିଛନ୍ତି।
ଓଡିଶା ଆଦିବାସୀ ଅଧିକାର ମଞ୍ଚ ସାଲିଆସାହି ଆଞ୍ଚଳିକ କମିଟି ଏବଂ ଆଦିବାସୀ ଗାଁ କମିଟି ତରଫରୁ ଭୁବନେଶ୍ୱର ସାଲିଆସାହି ସ୍ଥିତ ଆଦିବାସୀଗାଁ ଫୁଟବଲ ପଡିଆ ନିକଟ ରାସ୍ତାରେ ବିଶ୍ଵ ଆଦିବାସୀ ଦିବସ ପାଳନ ଅବସରରେ ଏକ ମାନବ ଶୃଂଖଳ କାର୍ଯ୍ୟକ୍ରମ ସଂଗଠିତ ହୋଇଥିଲା। ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଅଧିକାର ଦେବା ପାଇଁ ସହରାଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ୨୦୦୬ କୁ ଲାଗୁ କରିବା। ରାସ୍ତା ନାମରେ ଜଙ୍ଗଲ ଜମିରୁ ବସ୍ତି ଉଛେଦ ସମ୍ପୂର୍ଣ୍ଣ ବନ୍ଦ କରିବା। ଜଙ୍ଗଲ ସଂରକ୍ଷଣ ନିୟମ ୨୦୨୨ କୁ ବାତିଲ କରିବା। ପଞ୍ଚମ ଅନୁସୁଚୀର ପେସା ଆଇନ ୧୯୯୬ର ନୟମ ପ୍ରଣୟନ କରି ସଠିକ କାର୍ଯ୍ଯକରୀ କରିବା ପ୍ରମୁଖ ଦାବିକରି ମାନବ ଶୃଂଖଳରେ ବ୍ଯାନର ପ୍ଲାକାର୍ଡ ପ୍ରଦର୍ଶନ କରିବା ସହିତ ଏକ ଆଲୋଚନା ସଭା ଆୟୋଜନ କରାଯାଇଥିଲା।
ଦାବି ଗୁଡିକ ପୂରଣକରିବା ପାଇଁ ଆଗାମୀ ଦିନରେ ଦୃଢ ମେଳି ତିଆରି କରାଯାଇ ଦାବି ହାସଲ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରହିବ ବୋଲି ବକ୍ତବ୍ୟରେ କହିଥିଲେ। ସାଲିଆସାହିରେ ଅଙ୍କା ବଙ୍କା ରାସ୍ତା ନିର୍ମାଣ ଦ୍ଵାରା ବସ୍ତି ଉଛେଦକୁ ଦୃଢ ବିରୋଧ କରା ଯାଇଥିଲା। ଏକାମ୍ର କାନନ ଭିତରେ ଜିଏ(G.A) ଡିପାର୍ଟମେଣ୍ଟର ୩୪ ଏକର ସମ୍ପୂର୍ଣ୍ଣ ଫାଙ୍କା ଜାଗା ଥିବା ସତ୍ତେ ମହିଳା ପଲିଟେକନିକରୁ ସିଧା ଏକାମ୍ର କାନନ ଗେଟ ନିକଟ ସିଆରପି ରାସ୍ତାରେ ସଂଯୋଗ ନକରି ବସ୍ତିକୁ ଭାଙ୍ଗିବା ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ କରିଥିଲେ। ସାଲିଆସାହି ବସ୍ତି ଜଙ୍ଗଲ ,ବୁଦା ଜଙ୍ଗଲ ଛୋଟ ଜଙ୍ଗଲ କିସମ ଜମିରେ ରହିଥିବା ବେଳେ ବସ୍ତିକୁ ଲାଗି ସମାନ କିସମର ଜମି ଏକାମ୍ର କାନନ ପାଚେରୀ ଦ୍ବାରା ଅବରୋଧ କରାଯାଇ ଥିବା ପ୍ରମାଣ ବସ୍ତି ବାସିନ୍ଦାଙ୍କ ପାଖରେ ରହିଛି ବୋଲି ଦାବି କରାଯାଇଥିଲା। ତେଣୁ ଆଦିବାସୀ, ବସ୍ତି ବାସିନ୍ଦାଙ୍କ ପ୍ରତି ଷଡଯନ୍ତ୍ର ଏବଂ ଦମନ ମୂଳକ ପଦକ୍ଷେପ ବନ୍ଦ କରି ତାଙ୍କ ସହିତ ଆଲୋଚନା କରି ନ୍ୟାୟ ଦିଆଯାଉ ବୋଲି ଦାବି କରିଥିଲେ। 
ଏହି ମାନବ ଶୃଂଖଳ ଏବଂ ସଭା କାର୍ଯ୍ୟରେ ଅନ୍ୟ ମାନଙ୍କ ମଧ୍ୟରେ ସାଲିଆସାହି ଅଞ୍ଚଳିକ କମିଟିର ଆବାହକ ମଣ୍ଡଳି ସଭାପତି ଜୟଦେବ ନାୟକ ସଭ୍ୟ ଅନାଦି ପାତ୍ର,ଶିବଶଙ୍କର ସୋରେନ,ବଂଶୀଧର ପରିଡା ସୁଶାନ୍ତ ମହାକୁଡ,ଫୁଲମଣୀ ପାତ୍ର, ଆଦିବାସୀଗାଁର ଜୟନ୍ତି ସୋରେନ, ଦାଉଦ ଦିଗାଲ, ସନାତନ ମାର୍ଣ୍ଡି, ଫୁଲମଣୀ ସୋରେନ ପ୍ରମୁଖ ସାମିଲ ହୋଇଥିଲେ।