ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ୍ ୨୦୧୨ ନିୟମ କୁ ଉଲଂଘନ କରି ଏବଂ ୧୯୯୬ ପେଶା ଆଇନ୍ କୁ ଉଲଂଘନ କରି ଗ୍ରାମସଭା ର ବିନା ଅନୁମତିରେ ପଞ୍ଚମ ଅନୁସୂଚୀତ ଅଞ୍ଚଳ ମଧ୍ୟରେ ଆଦିବାସୀଙ୍କ ମକ୍କା ଫସଲ କୁ ବନବିଭାଗ ଦ୍ୱାରା ଗଠିତ ବନ ସୁରକ୍ଷା ସମିତିର ୨୦୦/୩୦୦ ସଭ୍ୟଙ୍କ ନେତୃତ୍ୱ ରେ ଫସଲ ନଷ୍ଟ କରିଦିଆଯାଇଛି ଓ ଘର ଜାଳିଦିଆଯାଇଛି।

୧୩/୦୮/୨୨-  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୋପାସାଭଟା  ନିବାସୀ ୨୫ ଗୋଟି କନ୍ଧ ଆଦିବାସୀ ପରିବାର ର ଦୀର୍ଘ ୩୫ ବର୍ଷ ର ଦାଖଲ ଜଙ୍ଗଲ କିସମ ଚାଷ ଜମି ମଧ୍ୟର ୩୦ ଏକର ମକ୍କା ଫସଲ କୁ ଆଜି ବନ ବିଭାଗ ଦ୍ଵାରା ଗଠିତ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ଗ୍ରାମ ବନ ସୁରକ୍ଷା ସମିତି ( VSS) ଙ୍କ ଦ୍ଵାରା ଗୋରୁ ଖୁଆଇ ନଷ୍ଟ କରିଦିଆଯାଇଛି ଓ କିଛି ବାସଗୃହ କୁ ମଧ୍ୟ ନିଆଁ ରେ ଜାଳି ଦିଆଯାଇଛି ଯେଉଁଥିରେ କି ଧାନ, ବହି, ପାସବୁକ,ବିଛଣା , ଖଟ, ଛତା , ଚାଉଳ ,  ସବୁ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣା ଘଟିବା ମାସେ ପୂର୍ବରୁ ସରକାରୀ ଦଳର ସ୍ଥାନୀୟ ନେତା ଓ ଉକ୍ତ ବନ ସୁରକ୍ଷା କମିଟି ପକ୍ଷରୁ  କୋପସାଭଟା ଗ୍ରାମବାସୀଙ୍କୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଉକ୍ତ ଧମକ ପରେ କୋପସାଭଟା ଗ୍ରାମବାସୀ ନିଜ ଫସଲ ର ସୁରକ୍ଷା ଓ ନିଜ ସୁରକ୍ଷା ନିମନ୍ତେ ଉମରକୋଟ ଥାନା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ । ଥାନା ଅଧିକାରୀ ମଧ୍ୟ ଉଭୟ ପକ୍ଷକୁ ଥାନାକୁ ଡ଼କାଇ କୌଣସି ପ୍ରକାର ହିଂସା ବା ଗଣ୍ଡଗୋଳ ନକରିବା ସହ କେହି ମଧ୍ୟ କାହାର ଫସଲ ନଷ୍ଟ କରିବେ ନାହିଁ ବୋଲି କହି ତାଗିଦ୍ କରି  ଛାଡ଼ିଥିଲେ ;  କିନ୍ତୁ ଆଜି ହଠାତ୍ କୁସୁମଗୁଡ଼ା ଓ ସିର୍ଲିଗୁଡ଼ା ବନସୁରକ୍ଷା ସମିତି  ଆଜି ଉଭୟ ଗ୍ରାମର ପ୍ରାୟ ୨୦୦-୩୦୦ ଜଣ ମହିଳା ପୁରୁଷ ହାତରେ ଟାଙ୍ଗିଆ , ଠେଙ୍ଗା ଧରି ଶହ ଶହ ଗୋରୁ ଆଣି ପ୍ରାୟ ୩୦ ଏକର ମକ୍କା ଫସଲ କୁ ନଷ୍ଟ କରିଥିଲେ ଓ ଗ୍ରାମ ଚାରିପାଖ ଘେରାଉ କରି ଜଗିଥିଲେ। 


ଏହିଭଳି ଘଟଣା ପ୍ରାୟ ୧୦:୩୦ ଘଣ୍ଟା ଠାରୁ ୧୨:୩୦ ଘଣ୍ଟା ଯାଏ ଚାଲିଥିଲା। ବର୍ତ୍ତମାନ ଉକ୍ତ କୋପସାଭଟା ଗ୍ରାମବାସୀ ଖୁବ୍ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏହି ଗ୍ରାମ ର ଫସଲ ନଷ୍ଟ କରିବା ପରେ ଉକ୍ତ କମିଟି ନିକଟସ୍ଥ ଗ୍ରାମ ସେମିଲିଗଡରା ଓ ସରିଆଭଟା ଗ୍ରାମର ମକ୍କା ଫସଲ ନଷ୍ଟ କରିବା ନିମନ୍ତେ ଉଦ୍ୟମ କରିଛନ୍ତି ବୋଲି ସୂଚନା ମିଳିଛି।


ସ୍ୱାଧୀନତାର 75ତମ ବାର୍ଷିକୀ ରେ ଆଦିବାସୀ ମାନଙ୍କ ଉପରେ ଏତାଦୃଶ ଆକ୍ରମଣ, ଫସଲ ଧ୍ବଂସ ଏବଂ ଘରପୋଡି ଘଟଣା ଅତି ବେଦନା ଦାୟକ।ଏହି ଅମାନୁଷିକ ଏବଂ ବର୍ବର ଘଟଣା କୁ ଓଡିଶା ଆଦିବାସୀ ଅଧିକାର ମଞ୍ଚ ଏବଂ ଓଡିଶା କୃଷକ ସଭା ତରଫରୁ ତୀବ୍ର ନିନ୍ଦା ଏବଂ ପ୍ରତିବାଦ କରାଯାଇଛି।ରାଜ୍ୟ ସରକାର ତୁରନ୍ତ ଘଟଣା ରେ ହସ୍ତକ୍ଷେପ କରି କ୍ଷତିଗ୍ରସ୍ତ ଆଦିବାସୀ ପରିବାର ମାନଙ୍କୁ ସମସ୍ତ କ୍ଷତି ପୂରଣ, ଆଦିବାସୀଙ୍କ ଜୀବନ-ଜୀବିକା ର ସୁରକ୍ଷା ଏବଂ ଆଇନ ଉଲ୍ଲଘଂନକାରୀ ମାନଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ ପାଇଁ ଦାବୀ କରା ଯାଇଛି। ରାଜ୍ୟ ସରକାର ଏହି ମର୍ମ ରେ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେବା ପାଇଁ ଓଡିଶା ଆଦିବାସୀ ଅଧିକାର ମଞ୍ଚର ସାଧାରଣ ସମ୍ପାଦକ ସାଲ ମାର୍ଣ୍ଡି, ଉପସଭାପତି ରାଜେଶ ଜାନି ଏବଂ ଓଡିଶା କୃଷକ ସଭାର ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦାବୀ କରିଛନ୍ତି, ନତୁବା ପ୍ରତିବାଦ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆ ଯାଇଛି।