ପ୍ରତ୍ୟେକ ବର୍ଷ ଠିକ୍ ଏହି ସମୟରେ ବିଭିନ୍ନ ଅଞ୍ଚଳରୁ ଖଟିଆରେ ରୋଗୀ ବୁହା ଚିତ୍ର ଓ ଖବର ମାନ ଟିଭି, ଖବକାଗଜମାନଙ୍କରେ ପୃଷ୍ଠା ମଣ୍ଡନ କରେ। ଏଇ ଚିତ୍ରଟି ହେଉଛି ବଣାଇ ଅଞ୍ଚଳର। ଯେଉଁଠାରୁ ଶହ ଶହ କୋଟିଟଙ୍କା ରାଜସ୍ବ ସରକାରଙ୍କ ପଖକୁ ଆସେ। ଜଣେ ଖଣି ବିଭାଗର ଅଧିକାରୀ ଙ୍କ କହିବା ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଖଣି ରାଜସ୍ୱ ୪୧, ୨୬୫କୋଟି ଟଙ୍କା ଆଦାୟ ହୋଇଛି। ଯାହାକି ୨୦୨୦-୨୧ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଖଣି ରାଜସ୍ୱ ଠାରୁ ପ୍ରାୟ ୩ଗୁଣ ରହିଛି।ଚଳିତ ଆର୍ଥିକ ସମାପ୍ତ ହେବା ବେଳକୁ ରାଜସ୍ୱ 45,000 କୋଟିରୁ ଅଧିକ ହେବ ବୋଲି ଆଶା କରାଯାଉଛ। ଖଣି ଏବଂ ଖଣିଜ ପଦାର୍ଥ (ବିକାଶ ଏବଂ ନିୟମାବଳୀ) ଅଧିନିୟମର 2015 ସଂଶୋଧନ ପରେ ଓଡିଶା 31 ଟି ଖଣି (ଲୁହାପଥର, ମାଙ୍ଗାନିଜ୍, ବକ୍ସାଇଟ୍ ଏବଂ ଡୋଲୋମାଇଟ୍ ଖଣି) ନିଲାମ କରିଛି ।
ମୁଁ ଅନେକ ଥର ବଣାଇ ଅଞ୍ଚଳକୁ ଯାଇଛି। ଖଣ୍ଡାଧାର ପାହାଡ଼ ଭିତରେ ଥିବା ଏକ ଆଦିବାସୀ ଗାଆଁ ହେଉଛି ସରେଇକେଲା। ଚାରିଆଡ଼େ ଘଞ୍ଚ ଜଙ୍ଗଲ। ସେମାନଙ୍କ ପାହାଡ଼ ଉପରେ OMC ଖଣି ଖନନ କରୁଛି। ପାହାଡ଼ରେ ଆଇରନ ଓର୍ ଭରପୁର ଅଛି। କେବଳ OMC ନୁହେଁ ଚାରିପାଖେ ଅନ୍ୟ ବଡ଼ ବଡ଼ କମ୍ପାନୀ ବି ଖନନ କରୁଛନ୍ତି। ଖଣି କମ୍ପାନୀ ମାନେ ପାଖା ପାଖି ଅଞ୍ଚଳରେ ରେ ଗ୍ରାମସଭା କରାଇ ମିଥ୍ୟା ପ୍ରତିଶ୍ରୁତି ଦେଇ ଖଣି ଖନନ ପାଇଁ ପଥ ପରିଷ୍କାର କରିନେଇଛନ୍ତି। ହେଲେ କାହାକୁ ନିଯୁକ୍ତି ନାହିଁ କି କ୍ଷତି ପୂରଣ ନାହିଁ। ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା ତ ଜଳ ଜଳ ଦିଶୁଛି। ସେଇଦିନଠାରୁ ତାଙ୍କର ଝରଣା ପାଣି କମି କମି ଆସୁଛି। କେତେବେଳେ ଲାଲ୍ ପାଣି ଆସୁଛି ତ କେତେବେଳେ ଗୋଳିଆ। ଜମିକୁ ପାଣି ନିଅଣ୍ଟ ପଡୁଚି। ପିଇବାକୁ ବାକୁତ ପାଣି ପାଉନାହାନ୍ତି ନାହିଁ ଚାଷ କରିବେ କଣ। ଝରଣା ଭଳି ଆଦିବାସୀମାନେ ଶୁଖି ଶୁଖି ମରୁଛନ୍ତି। କାହାକୁ ଟିବି ହେଲାଣି ତ କାହାର କିଡନୀ ଫେଲ ହେଲା। ଗାଁଟି ନିଶ୍ଚିଁହ ହେବାର ଦ୍ଵାର ଦେଶରେ।
ସରକାର ଓ ପୁଞ୍ଜିପତି ଙ୍କ ଚକିରେ ଏମିତି ପେଶି ହେଉଛନ୍ତି ଆଦିବାସୀ। ତାଙ୍କ କଥା ନା ସରକାର ନା କମ୍ପାନୀ କେହିବି ଶୁଣୁ ନାହାନ୍ତି। ଗୋଟିଏ ପଟେ ଆଦିବାସୀଙ୍କୁ ଅମୃତ ସନ୍ତାନ କହି ରାଜଧାନୀରେ ବସାଇ ମେଳା କରୁଛନ୍ତି, ଅନ୍ୟପଟେ ଦେଶର ବିକାଶ ନାମରେ ବଳି ପକାଉଛନ୍ତି। ତେବେ ଏଠି କହିରଖିବା ଠିକ୍ ହେବଯେ, ଆମର ଶିଳ୍ପ ତ ଦରକାର ଦୈନନ୍ଦିନ ବ୍ୟେବହାର୍ୟ୍ଯ ସାମଗ୍ରୀ ପାଇଁ। ତା ପାଇଁ ଖଣି ଖାଦାନ ବି ଦରକାର ଆବଶ୍ୟକ ପରିମାଣର। ହେଲେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକର ଉତ୍ତଦାୟିତ୍ଵ ବି ତ ଅଛି। ଯେମିତିକି ରାସ୍ତା, ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା। ପ୍ରଦୂଷଣ ନିୟନ୍ତ୍ରଣ କରିବା। ଜମି ବଦଳରେ କ୍ଷତିପୂରଣ ଦେବା। ଜୀବିକା ବଦଳରେ ଚାକିରି ଦେବା। ବର୍ତ୍ତମାନ ଆମ ଓଡ଼ିଶାରେ ଯେତିକି ଦେଶୀ ବିଦେଶୀ ଶିଳ୍ପ ପ୍ରତିଷ୍ଠାନ ଅଛି ତା ଭିତରୁ କିଏ ଗୋଟାଏ ଏସବୁ କାର୍ଯ୍ୟକାରୀ କରୁଛନ୍ତି କି? ତେବେ ଯେଉଁଠି ନିଯୁକ୍ତି ନାହିଁ, କ୍ଷତି ପୂରଣ ନାହିଁ , ଜୀବିକା ନାହିଁ, ପ୍ରକୃତି ଓ ପରିବେଶ ଧ୍ବଂସ ହେଉଛି, ଲୋକମାନେ ବାସ୍ତୁ ହରା ହେଉଛନ୍ତି, ସେଭଳି ବିକାଶ ଆମର କି ଆବଶ୍ୟକତା ପୂରଣ କରୁଛି ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରୁଛନ୍ତି।

0 Comments