ନିକଟରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ପଞ୍ଚମ ରେପୋର୍ଟରେ କୁହାଯାଇଛି ଯେ, ରାଜ୍ୟରେ ପ୍ରତି ହଜାରରେ ହାରାହାରି ୨୭ ଶିଶୁ ଜନ୍ମ ହେବାର ଚାରି ସପ୍ତାହ ମଧ୍ୟରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ବିଭିନ୍ନ କାରଣରୁ ଆଦିବାସୀମାନଙ୍କ ମଧ୍ୟରେ ଶିଶୁ ମୃତ୍ୟୁ ହାର ବହୁତ ଅଧିକ ବୋଲି ଜଣାପଡିଛି | ଆଦିବାସୀଙ୍କ କ୍ଷେତ୍ରରେ ଏହି ସଂଖ୍ୟା ଉଦବେଗ ଜନକ ରହିଛି। ପ୍ରତି ହଜାରେ ଜନ୍ମିତ ଶିଶୁ ମଧ୍ୟରୁ 42ଶିଶୁ ମାସେ ବି ବଞ୍ଚିବା କଷ୍ଟକର ହୋଇପଡୁଛି।
ଏକ ରିପୋର୍ଟ ଅନୁସାରେ ଦେଖାଯାଇଛି ଯେ ଅବିଭାଜିତ ବଲାଙ୍ଗୀର, କାଲାହାଣ୍ଡି, ଫୁଲବାଣୀ ଏବଂ ସୁନ୍ଦରଗଡର ଜିଲ୍ଲାରେ 5. କିଲୋମିଟର ଦୂରତାରେ ପ୍ରାୟ ଅଧା ଗାଁରେ ଚିକିତ୍ସା ସୁବିଧା ନାହିଁ। କେବଳ ସେତିକି ନୁହେଁ ଗ୍ରାମବାସୀଙ୍କ ଚିକିତ୍ସା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ର ନାହିଁ। ଗାଁ ଠାରୁ ଦୂର ସ୍ଥାନରେ ଯଦିଓ ଚିକିତ୍ସା ସୁବିଧା ଉପଲବ୍ଧ ସେହି ସ୍ଥାନକୁ ଯିବାପାଇଁ ରାସ୍ତା ନାହିଁ। ଫଳରେ ରୋଗୀକୁ ଖାଟିଆରେ ବୁହାହୋଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପଡୁଛି। ହସ୍ପିଟାଲ ପହଞ୍ଚିବା ପୁର୍ବରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଅନ୍ୟ ଆଦିବାସୀ ଜିଲ୍ଲାର ଅବସ୍ଥା ମଧ୍ୟ ସନ୍ତୋଷଜନକ ନୁହେଁ।
ବର୍ତମାନ କାଶୀପୁର ରେ ହଇଜା ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହଇଜାର କାରଣ ଦୂଷିତ ଜଳ ବୋଲି ସ୍ବାସ୍ଥ୍ୟ ବିଭାଗ କହୁଛି। ସରକାରଙ୍କ ପାଇପ୍ ଯୋଗେ ଜଳ ଯୋଗାଣ ଫେଲ୍ ମାରିଛି। ଏକ ହିସାବ କହୁଛି ଏବେବି ୫୧ପ୍ରତିଶତ ପରିବାରକୁ ପାଣି ମିଳୁନି।
ବଜେଟ୍ ରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଅଂଶ ସମର୍ପିତ ଥାଇ ମଧ୍ୟ ସ୍ବାଧୀନତାର ସାତ ଦଶନ୍ଧି ପରେ ବି ଏମାନେ ଏତେ ଅବହେଳିତ କାହିଁକି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି।

0 Comments