ଆମଦେଶର ଜନସଂଖ୍ୟାର ପ୍ରାୟ 8ପ୍ରତିଶତ ହେଉଛନ୍ତି ଆଦିବାସୀ ଏବଂ ଓଡ଼ିଶାରେ ଜନସଂଖ୍ୟା ହିସାବରେ ପ୍ରାୟ ୨୨ପ୍ରତିଶତ। କେବଳ ଓଡିଶାରେ ୬୨ ପ୍ରକାର ଜନଜାତି ଦେଖାଯାଆନ୍ତି। ୭୦-୮୦

ଦଶକରେ ଆରମ୍ଭ ହୋଇଥିବା ନବ ଉଦାରବାଦୀ ଅର୍ଥନୀତି ଯୋଗୁଁ ଆଦିବାସୀ ଏକ ସାଙ୍ଘାତିକ ପରିସ୍ଥିତିର ସାମ୍ନା କରୁଛି। ଦୃତ ଶିଳ୍ପାୟନ ଓ ଖଣି ଖନନ, ବୃହତ୍ ଜଳଭଣ୍ଡାର, ବନ୍ୟଜନ୍ତୁ କ୍ଷେତ୍ର ବା ଜାତୀୟ ଉଦ୍ୟାନ ପ୍ରତିଷ୍ଠା ଫଳରେ ଆଦିବାସୀମାନଙ୍କର ଜୀବନଜୀବିକା ସଙ୍କୁଚିତ ହେବାରେ ଲାଗିଛି। ନିଜ ମାଟିରୁ ବିସ୍ଥାପିତ ହୋଇ ଏଣେତେଣେ ବୁଲୁଛି। କ୍ଷତିପୁରଣ ନାହିଁ କି କର୍ମନିଯୁକ୍ତି ନାହିଁ।କେବଳ ଆଦିବାସୀ ନୁହେଁ ପ୍ରକୃତି ଉପରେ ମଧ୍ୟ ଏହାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଫଳରେ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ତାଣ୍ଡବଲୀଳା ଦେଖିବାକୁ ମିଳୁଛି।
ଯେହେତୁ ଆଦିବାସୀ ଅଞ୍ଚଳରେ ହିଁ ପ୍ରାୟ ୯୦ପ୍ରତିଶତ ଖଣିଜ ପଦାର୍ଥ, ବଡ ବଡ ଜଳ ଭଣ୍ଡାର, ବୃହତ୍ ଶିଳ୍ପାନୁଷଠାନଗୁଡ଼ିକ ପାଇଁ ଭିତ୍ତିଭୂମି ସହଜରେ ଉପଲବ୍ଧ ତେଣୁ ସ୍ଵାଧୀନୋତ୍ତର ଭାରତର ସରକାର ମାନେ ବିକାଶ ର ଦ୍ୱାହି ଦେଇ ଆଦିବାସୀଙ୍କୁ ହତ୍ୟାକରି ସେମାନଙ୍କର ଜୀବନଜୀବିକାର ସବୁ ରାସ୍ତା ବନ୍ଦ କରିଦେଉଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ସେମାନଙ୍କର ବଳିଦାନ ଫଳରେ ଯେଉଁ ପୁଞ୍ଜି ସୃଷ୍ଟି ହୁଏ ସେଥିରେ ତାର ଅଂଶ କିଛି ନାହିଁ। ସିଏ କେବଳ ବଳିଦାନ ହିଁ କରିବ ବାସ୍।


ବିକାଶ ନାମରେ ଯେଉଁ ବିନାଶ ଲୀଳା ଚାଲିଛି ତାହା ଅବଶ୍ୟ ଆଦିବାସୀମାନେ ବୁଝିଲେଣି। ବିଭିନ୍ନ ଜନ ଆନ୍ଦୋଳନ ମାନ ମୁଣ୍ଡ ଟେକି ଉଠିଲାଣି। ନିଜ ମା ମାଟିକୁ ବିକିବେ ନାହିଁ ବୋଲି ଚେତାବନୀ ଦେଲେଣି। ତେବେ ଏ  ସରକାର ପୁଞ୍ଜିପତିଙ୍କ ସ୍ବାର୍ଥସିଦ୍ଧି ପାଇଁ ଜନ ଆନ୍ଦୋଳନ ଗୁଡ଼ିକୁ ଦୃଢ଼ ହସ୍ତରେ ଦମନ କରିବାକୁ ଚେଷ୍ଟା କରୁଛି। ନେତା ମାନଙ୍କୁ ବିଭିନ୍ନ ମିଥ୍ୟା ଅଭିଯୋଗରେ ଜେଲ୍ ର କାଳ କୋଠରୀକୁ ପଠାଇ ଦେଉଛି। ଦରକାର ପଡ଼ିଲେ ଆଦିବାସୀଙ୍କ ଶବ ଉପରେ ବିକାଶର ଧ୍ଵଜା ଉଡ଼ାଇବାକୁ ପଛାଉ ନାହିଁ।
ଏକ ହିସାବ ରୁ ଜଣାଯାଏ ଯେ, ଭାରତର ଜନସଂଖ୍ୟାର ୨ପ୍ରତିଶତ ଲୋକ ଏହି ବିକାଶ ପ୍ରକଳ୍ପ ଦ୍ବାରା ପ୍ରଭାବିତ। ତା ଭିତରୁ ୫୦ପ୍ରତିଶତ କେବଳ ଆଦିବାସୀ। ଯେଉଁ ମାନେ ଚାଷବାସ ଓ ଜଙ୍ଗଲଜାତ ଦ୍ରବ୍ୟରୁ ନିଜର ଜୀବିକା ନିର୍ବାହ କରିଥାନ୍ତି।


ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ମାତ୍ର ଫଳ ଶୂନ। ଆଦିବାସୀ କଲ୍ୟାଣ ପାଇଁ ଯେଉଁ ଉପଦେଷ୍ଟା ସମିତି ଗଠନ ହେବା କଥା ୪ବର୍ଷ ହେଲା ତାହା ହୋଇ ପାରିନାହିଁ। ୭ ବର୍ଷ ହେବ RPDAC ବୈଠକ ବସିନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନର  ବ୍ୟବସ୍ଥା ନାହିଁ। ଏବେବି ଖଟିଆରେ ରୋଗୀ ବୁହା ଚାଲିଛି। ନଗଡାରେ ଅପପୃଷ୍ଟି ଯାଉନାହିଁ। କେନ୍ଦ୍ରୀୟ ଅନୁଦାନ ମଧ୍ୟ ବନ୍ଦ କରିଦିଆଯାଇଛି। ଏଥି ପ୍ରତି କିନ୍ତୁ ଆମ ଆଦିବାସୀ ପ୍ରତିନିଧିମାନେ ଭୟଙ୍କର ନିରବତା ଅବଲମ୍ବନ କରିଛନ୍ତି।
ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ଥିବା ସତ୍ତ୍ୱେ କାହିଁକି କାର୍ଯକାରୀ କରାନଯିବ? ତେଣୁ ସରକାର ମିଥ୍ୟା ପ୍ରଚାର ନକରି ଅନୁସୂଚିତ ଅଞ୍ଚଳରେ ପେସା ଆଇନ କୁ କାର୍ଯକାରୀ କରାଯାଉ। Tribal sub plan- ୧୯୭୪ ଓ Tribal advisory -୧୯୫୦ କୁ ତୁରନ୍ତ କ୍ରିୟାଶୀଳକରାଯାଉ। ଆଦିବାସୀଙ୍କ ଅଧିକାରକୁ କ୍ଷୁର୍ଣ୍ଣ ନକରି ସାମ୍ଭିଧନିକ ଅଧିକାର ଦିଆଯାଉ।